Saturday, September 30, 2017

ସାଲିସ୍ ସଂପ୍ରସାରଣର

ଶବ୍ଦର କପୋତମାନେ ଉଡ଼ିଗଲେ
ଅନୁଭବ ଫେରିଯାଏ ନାହିଁ
ଘଟିଯାଏ
,
କବି କେବଳ ଅନୁଭବ ବାଣ୍ଟିବ ବୋଲି
ଅକାତରେ ଭାବକୁ ଆଉଜେ
I

ନିଜ ନାଡ଼ିର ଧାପକୁ ବେଶ୍
ଶବ୍ଦମାନେ ବୁଝନ୍ତି
ସେମାନେ ଖୁବ୍
ଭଦ୍ର, ବିନମ୍ର
ସ୍ପର୍ଶଶୀଳ
I

ଧରିବାକୁ ହୁଏ ଯତ୍ନରେ ଶବ୍ଦଙ୍କୁ
ଫୁଲପରି
ଭଲ ପାଇ
ନଇଁ ଆସୁଥିଲାବେଳେ
ସଙ୍ଖୋଳିଲା ବେଳେ
I

ଶବ୍ଦର ବଳାକା ଆକୁଳ
ଗରୁଡ଼ ହେବାକୁ
ଅନୁଭବର
, ଭାବର
ତଥାପି ବଳିପଡ଼େ ଅନୁଭବ ଭାବ
ବାମନଙ୍କ ପାଦ ପରି
ଶବ୍ଦର ସୀମା ସେପାଖକୁ!

ଭାଷା, ଭାବ-ଅନୁଭବ
ହେବେ ବୋଲି ନିକଟର
ଏକାକାର
କେଉଁ ଆଦିମ ଯୁଗରୁ ରତ ପରସ୍ପର
ସାଲିସରେ ସଂପ୍ରସାରଣର
I
*   *   *
(ଆମ ସମୟର ସ୍ୱର: ପ୍ରଥମ ବର୍ଷ, ତୃତୀୟ ସକାଳ, ୧୯୯୭)

ସୁହୃଦ୍

ଆମେ ସବୁ ଏଠି ଅଭିନ୍ନ ମଣିଷ
                    ବିଭିନ୍ନ ରକମ ଦିଶୁ
ଆମେ ସବୁ ଏଠି ବିଭିନ୍ନ ମଣିଷ
                     ଅଭିନ୍ନ ଭାବରେ ମିଶୁ
I

ସେଇ ଆମ ଭେଦ ସେ ଆମ ଅଭେଦ
                      ଭେଦ-ଅଭେଦର ସେତୁ
ଜଣରୁ ଗଣକୁ ଗଣରୁ ଜଣକୁ
                      ଆସିବାର ମହା ହେତୁ
I

ଗଣ ନୁହେଁ ମାୟା ଜଣ ନୁହେଁ ଛାୟା
                      ସ୍ଥିତିସ୍ଥାପକ ସେ କାୟା
ବନ୍ଧୁ ହୋଇ ଆମେ ବନ୍ଧା ପଡ଼ୁ ନାହିଁ
                       ବାଟ ଚାଲିବାରେ ବାୟା
I

ଠିଆ ମେଲା ଆମ ସଦର ଦରଜା
                        ତାଙ୍କ ଯାତାୟାତ ପାଇଁ
ଅବତଳୋତ୍ତଳ ସକଳ ଚେତନା
                        ମୁଦ୍ରିତ ହୁଏ ଯହିଁ
I
              *   *   *
(ସୁହୃତ୍: ୨ୟ ବର୍ଷ ୨ୟ ସଂଖ୍ୟା, ଡିସେମ୍ବର ୧୯୯୩)